ବକ୍ସ ଅଫିସରେ ଏକାସଙ୍ଗରେ ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ମଧ୍ୟରେ ହେବ ଟକ୍କର

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା କୋପ ହ୍ରାସ ପାଇବା ପରେ ଟ୍ରାକକୁ ଫେରିଛି ବଲିଉଡ । ବଲିଉଡରେ ଅଟକି ରହିଥିବା ଫିଲ୍ମ ଗୁଡିକର ରିଲିଜ ଏବେ ଆରମ୍ଭ ହୋଇଯାଇଛି । ଫିଲ୍ମ ନିର୍ଦ୍ଦେଶକ ଲଗାତର ଭାବେ ନିଜ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିବାରେ ଲାଗିଛନ୍ତି । ଯେଉଁଥିରେ ଆଗାମୀ ବର୍ଷ ଏପ୍ରିଲ ମାସରେ ଅଭିନେତା ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ଫିଲ୍ମ ମଧ୍ୟରେ ଟକ୍କର ହେବ ।

ଟାଇଗର ଶ୍ରଫଙ୍କ ଫିଲ୍ମ ହିରୋପନ୍ଥି ୨ ଏବଂ ଅଜୟ ଦେବଗନଙ୍କ ଫିଲ୍ମ ମେ ଡେ ର ରିଲିଜ ତାରିଖ ରବିବାର ଘୋଷଣା କରାଯାଇଛି । ଏହି ଦୁଇ ଫିଲ୍ମ ଏପ୍ରିଲ ମାସ ଇଦ୍ ସପ୍ତାହରେ ରିଲିଜ୍ ହେବ । ଅର୍ଥାତ ଏଥରକ ବକ୍ସ ଅଫିସରେ ଏହି ଦୁଇ ଷ୍ଟାର ମୁହାଁମୁହିଁ ହେବେ ।

ରିଲିଜ୍ ତାରିଖ ଘୋଷଣା ହେବା ମାତ୍ରେ ଟାଇଗର ଶ୍ରଫ ତାଙ୍କ ଫିଲ୍ମ ହିରୋପନ୍ଥି ୨ ର ଏକ ପୋଷ୍ଟର ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ବ୍ଲାକ ସୁଟ୍ରେ କାରର ଛାତ ଉପରେ ବସି ଗୁଳି ଚଳାଉଥିବାର ନଜରକୁ ଆସୁଛନ୍ତି । ସେହିପରି ଅଭିନେତ୍ରୀ ତାରା ସୁତରିୟା ମଧ୍ୟ ବ୍ଲାକ ଆଉଟଫିଟ୍ ରେ କାରର ଡ୍ରାଇଭିଂ ସିଟ୍ ରେ ବସି ଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟର ସହିତ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି ଟାଇଗର ।

ସେହିପରି ଅଜୟ ଦେବଗନଙ୍କ ମେ ଡେ ମଧ୍ୟ ଏହିଦିନ ରିଲିଜ୍ ହେବ । ଏହା ଏକ ଥ୍ରିଲର ଫିଲ୍ମ । ଯାହାର ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଅଜୟ ଦେବଗନ କରିଛନ୍ତି । ଏହି ଫିଲ୍ମରେ ଅଜୟଙ୍କ ବ୍ୟତିତ ଅମିତାଭ ବଚ୍ଚନ ଏବଂ ରକୁଲ ପ୍ରୀତ ସିଂହଙ୍କୁ ଦେଖିବାକୁ ମିଳିବ ।