ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ମହଙ୍ଗାମାଡର ଶିକାର ହେଉଛନ୍ତି ଜନତା । ତୈଳ କମ୍ପାନୀ ପକ୍ଷରୁ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଛି । ପେଟ୍ରୋଲ ଦରରେ ୨୪ ରୁ ୨୫ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ବେଳେ ଡିଜେଲ ଦରରେ ୩୦ ରୁ ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି ।

ଆଇଓସିଏଲ ର ସୂଚନା ଅନୁସାରେ ଆଜି ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୬୪ ରହିଥିବା ବେଳେ ଡିଜେଲ ଲିଟର ପିଛା ଦର ୮୯.୮୭ ଟଙ୍କା ରହିଛି । ସେହିପରି କୋଲକାତାରେ ପେଟ୍ରୋଲ ଦର ୧୦୨.୧୭ ଟଙ୍କା ଏବଂ ଡିଜେଲ ୯୨.୯୭ ଟଙ୍କା ରହିଛ । ମୁମ୍ବାଇରେ ପେଟ୍ରୋଲ ଦର ୧୦୭.୭୧ ଟଙ୍କା ଏବଂ ଡିଜେଲ ଦର ୯୭.୫୨ ଟଙ୍କା ରହିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୯୯.୩୬ ଟଙ୍କା ଏବଂ ଡିଜେଲ ୯୪.୪୫ ଟଙ୍କା ରହିଛି ।

ସୂଚନାଯୋଗ୍ୟ ଓଡିଶା, ଆନ୍ଧପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ପେଟ୍ରୋଲ ଦର ୧୦୦ ଉପରେ ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଦର ଆପଣ ଏସଏମଏସ ଜରିଆରେ ମଧ୍ୟ ଜାଣିପାରିବେ । ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ,ଆପଣଙ୍କୁ ଆରଏସଏପି ଏବଂ ଆପଣଙ୍କ ସହରର କୋଡ ଲେଖି ୯୨୨୪୯୯୨୨୪୯ ନମ୍ବରରେ ପଠାଇବାକୁ ହେବ । ପ୍ରତ୍ୟେକ ସହରର କୋଡ ଭିନ୍ନ ଭିନ୍ନ ହୋଇଥାଏ । ଯାହା ଆପଣଙ୍କୁ ଆଇଓସିଏଲ ର ୱେବସାଇଟ ମିଳିଯିବ ।

ସେହିପରି ପ୍ରତ୍ୟେକ ଦିନ ସକାଳ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ଦରରେ ପରିବର୍ତ୍ତନ ହୋଇଥାଏ । ଏହାପରେ ନୂତନ ଦର ଲାଗୁ ହୋଇଥାଏ ।